Unknown

 

 

 

 

 

 

 

 

 

ଅହଲ୍ୟାସ୍ତବ

ଗଙ୍ଗାଧର ମେହେର

 

ସ୍ତବାରମ୍ଭ

(ଶାର୍ଦ୍ଦୂଳ-ବିକ୍ରୀଡ଼ିତ ବୃତ୍ତେ)

 

ପୃଥ୍ୱୀମଣ୍ଡନ ହେ ଜଗତ୍‌ପତି ବିଭୋ

ଭକ୍ତଙ୍କ ମୁକ୍ତି ଖଣି

ସଂସାରାର୍ଣ୍ଣବ-ପାର-କାରଣପଟୁ

କୈବର୍ତ୍ତଚୂଡ଼ାମଣି ।

ସାଧୁ ପାଳନ ଦୁଷ୍ଟ ନାଶକରଣେ

ସମ୍ଭୂତ ଏ ଭୂତଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧।

 

କ୍ଷୀରାବ୍‌ଧିତନୟା ସୁକୋମଳ କରା-

ମ୍ଭୋରୁହ ମର୍ଦ୍ଦିତ ଯେ

ତ୍ରୈଲୋକ୍ୟାଘ ବିନାଶିନୀ ସୁରଧୁନୀ

ଯତ୍ପାଦରୁ ଜାତ ଯେ ।

ଭାବନ୍ତି ନିଶି ବାସରେ ପ୍ରେମଭରେ

ଯେ ପାଦ ଯୋଗିଦଳେ

 

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୨।

ବ୍ରହ୍ମା ରୁଦ୍ର ପୁରନ୍ଦରାଦି ବିବୁଧେ

ଭକ୍ତିଭରେ ସାଦରେ

ଆଜ୍ଞାଧୀନ କୃତାଞ୍ଜଳି ହୋଇ ସଦା

ସେବନ୍ତି ଯା’ ପାଦରେ ।

ନିତ୍ୟେ ବିଷ୍ଣୁପଦେ ଗମନ୍ତି ନିୟମେ,

ଚନ୍ଦ୍ରାର୍କ ଆଜ୍ଞାବଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୩।

ବ୍ରହ୍ମାଣ୍ଡୋଦ୍ଭବ ପାଳନାନ୍ତକର ହେ

ଆପେ ତ୍ରିମୂର୍ତ୍ତି ଧରି

ଦୁଃଖୀ-ଦୁଃଖ-ତିମିରହାରକ ଦୟା

ରଶ୍ମି-ପ୍ରଦାୟୀ ହରି ।

ପଙ୍ଗୁ ଲଙ୍ଘଇ ଶିଖରୀ ଅବହେଳେ

ତୁମ୍ଭେ କରୁଣା କଲେ,

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୪।

 

ଆପେ ସୂକ୍ଷ୍ମ ଅଚିନ୍ତନୀୟ ମହିମା

ବ୍ରହ୍ମାଣ୍ଡରେ ବିସ୍ତରେ

କୋଟି ସୂର୍ଯ୍ୟ ଗ୍ରହର୍କ୍ଷବୃନ୍ଦ କ୍ଷଣକେ

ଇଚ୍ଛା କଲେ ସଞ୍ଚରେ ।

ସର୍ବେ ମଗ୍ନ ମହା ଅଗାଧ ଅକୂଳ

ମାୟା ପୟୋଧିଜଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୫।

 

ଯୋଗୀ-ମାନସ ପ୍ରେମମାନ ସରସୀ

କେଳିକରା ହଂସ ହେ

ଦୁଷ୍ଟାତ୍ମା ନିକଷା ସୂନୁକରିଯୂଥେ

ସଞ୍ଚାରି-ପଞ୍ଚାସ୍ୟ ହେ ।

ବେଦୋଦ୍ଧାରଣ କାରଣେ ମୀନରୂପେ

ସମ୍ଭୂତ ସିନ୍ଧୁଜଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୬।

 

ଦାସେ ବତ୍ସଳତା ପ୍ରକାଶି ରଖ ହେ

କୀର୍ତ୍ତି ସଦା ବିଶ୍ୱରେ

ପ୍ରହ୍ଲାଦେ ମଘବା ବିଭୂତିକି ଦେଇ

ସ୍ଥାପିଲ ଯେ ସ୍ୱର୍ଗରେ ।

ସ୍ତମ୍ଭୁ ଜନ୍ମି ହେଳେ ହିରଣ୍ୟକଶିପୁ

ଧ୍ୱଂସିଲ ବାହୁବଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୭।

 

କ୍ଷୀରାବ୍‌ଧି ଉଦରେ ମହାଫଣି-ଫଣା

ମୌକ୍ତିକ ମଣ୍ଡିତରେ,

ଶୋଭା ତୁମ୍ଭ ନବୀନ ନୀରଦ ତନୁ

କୌସ୍ତୁଭ-ଭୂଷିତରେ ।

ମୁକ୍ତି ପୀୟୂଷ ବର୍ଷଇ ଅବିରଳେ

ଆବାସ ନିତ୍ୟସ୍ଥଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୮।

 

କମ୍ବୁ ଚକ୍ର ଗଦାବ୍‌ଜ ଶୋଭଇ କରେ

ପକ୍ଷିପତି ଆଗରେ

ବାଗ୍‌ଦେବୀ ରମଣୀୟ ବେଶରେ ବସି

ପାଶେ ସହାସାସ୍ୟରେ ।

ତୋଷନ୍ତି ଶ୍ରୁତିକି ମଧୁ ସ୍ୱର ବୀଣା

ବାଇ ସକୌତୂହଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୯।

 

ଯାଦୃଗ୍ରମ୍ୟ ନବୀନ ମେଘ ପଟଳୀ

ସଦ୍ୟୁତି ବିଦ୍ୟୁରେ,

ତାଦୃଙ୍ ନୀଳମଣି ସୁରୁଚିର ତନୁ

ସ୍ୱର୍ଣ୍ଣାଭ ପୀତାମ୍ବରେ ।

ଚାରୁ ଅଙ୍ଗ ସୁବାସ ରାଶି ଚହଟି

ଆମୋଦ ଦିଙ୍‌ମଣ୍ଡଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୦।

 

ଅନ୍ତର୍ଯ୍ୟାମୀ ଅନନ୍ତ ରୂପ ଗୁଣବାନ୍

ବ୍ୟାପିଛ ସଂସାରରେ

ସ୍ଥିତି ସର୍ବ ଦେହେ ସମାନ ରୂପରେ

ଚକ୍ଷୁର ଅଦୃଶ୍ୟରେ ।

ଦେଖନ୍ତି ତବ ରୂପ ଜ୍ଞାନ-ନୟନେ

ଜ୍ଞାନୀ ସମାଧିବଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୧।

 

ଶାନ୍ତି ମୂର୍ତ୍ତି ମହା ମହିମ ଭଗବାନ୍

ଆସିଲ ମୋ ଭାଗ୍ୟରେ

ମନୁଷ୍ୟାପଘନେ ନୃପାତ୍ମକ ରୂପେ

ଜନ୍ମି ମହୀଭାଗରେ ।

ପାପିପାବନ କୀରତିକି ରଖିଲ

ଏତଜ୍ଜଗନ୍ମଣ୍ଡଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୨।

 

କୌଶଲ୍ୟା ଉଦରାବ୍‌ଧି ଜାତ ଧରଣୀ

ଆହ୍ଲାଦ ତାରାପତି

ଲୋକନେତ୍ରଚକୋର ତୋଷଣପଟୁ

ଶାନ୍ତି ମୃଦୁ ମୂରତି ।

ଶୋଭାକର୍ଣ୍ଣ ବୃହସ୍ତତି କବିଛବି

ଚାରୁ ପ୍ରଭା କୁଣ୍ଡଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୩।

 

କୋଟି କାମ ବିଜିତସୁନ୍ଦର ତନୁ

କୋଦଣ୍ଡ ରାଜେ କରେ

ଶୋଭା କର୍ବୂର ରକ୍ତ ଲୋଲୁପପ୍ରଚ-

ଣ୍ଡାଶୁଗ ଦକ୍ଷିଣରେ ।

ସାକ୍ଷାତ କ୍ଷତ୍ରିୟ ଧର୍ମବିଗ୍ରହ ଧରି

ସମ୍ଭୂତ ଭୂମଣ୍ଡଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୪।

 

ଧନ୍ୟା ଭାଗ୍ୟବତୀ ଏ କାଶ୍ୟପୀ ପୁଣି

ଧନ୍ୟା ଅଯୋଧ୍ୟାପୁରୀ

ବୈକୁଣ୍ଠାଶ୍ରମ ଶୋଭନୀୟ ପଦକୁ

ହେଳେ କଲେଣି ଜୁରୀ ।

ଯା’ ରେଣୁ ଶିରମଣ୍ଡନାର୍ଥ ସତତେ

ଦୁଷ୍ପ୍ରାପ୍ୟ ଆଖଣ୍ଡଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୫।

 

ଧନ୍ୟା କୋଶଳ ରାଜପୁତ୍ରୀ ଶ୍ରୀମତୀ

ନିତ୍ୟେ ଧରେ କୋଳରେ

ରାଜେନ୍ଦୁ ଅଜ-ସୁତ ଭାସଇ ଦେଖି

ଆନନ୍ଦ କଲ୍ଲୋଳରେ ।

ତୁମ୍ଭଙ୍କୁ ଲଭିଲେ କୁମାର ରୂପରେ

ଶ୍ରେଷ୍ଠା ତପସ୍ୟାଫଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୬।

 

ଇନ୍ଦ୍ରେ ପୀରତି ଦେଖି କୋପନୟନେ

ସ୍ୱାମୀ କଲେ ଦୂଷିତା

ପାଷାଣାଙ୍ଗୀ ହୋଇ ଏ କାନନେ ଥିଲି

ଶାପେ ହୋଇ ଗ୍ରାସିତା ।

ପାଇଲି ନିଜ ମୂରତି ତୁମ୍ଭ ପଦଧୂଳି

ପାଇ ସତୀତ୍ୱ-ବଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୭।

 

ବ୍ରହ୍ମା ବାଞ୍ଛଇ ଯେ ପଦାଙ୍କ ଧୂଳିକି

ଦୂର୍ଲ୍ଲଭ୍ୟ ଯୋଗିଜନେ

ରୁଦ୍ରେ ଈପ୍‌ସିତ ସାଗ୍ରହେ ନିତି ଶଶି-

ଭୂଷା ଶିରେ ମଣ୍ଡନେ ।

ସାକ୍ଷାତ୍ ସେ ପଦଧୂଳିକି ମୁଁ ଲଭିଲି

ସ୍ୱାମୀ କରୁଣାଫଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୮।

 

ପ୍ରତ୍ୟକ୍ଷେ ସୁରକଳ୍ପ ପାଦପ ପ୍ରଭୁ

ଦଣ୍ଡାୟମାନ ଆଗରେ

ଉଦ୍ଭାସିତ ହେଉଛି ଦର୍ଶନ କରି

ହର୍ଷେ ସୁଧା-ସାଗରେ ।

କୋଟି ଜନ୍ମ କୃତାଘ୍ନ-ରାଶି ତ୍ୱରିତେ

ଛାଡ଼ିଣ ଦୂରେ ଗଲେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୧୯।

 

ହେ ରାମ ରଘୁବଂଶ ତିଳକ ମହୀ-

ରାଜେନ୍ଦ୍ର ଚୂଡ଼ାମଣି

ହେ ଶ୍ୟାମାଙ୍ଗ କୃପା କୃପାର ହେ ଜଗତ୍-

ବିଖ୍ୟାତ ବୀରାଗ୍ରଣି !

ଆଶୁ ଦଗ୍ଧ ହେବେ ନିଶାଚରଗଣେ

ତ୍ୱତୀକ୍ଷ୍‌ଣ ତୀରାନଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୨୦।

 

ବାସୁକି କହିଲେ ଅଶେଷ ବଦନେ

ମାହାତ୍ମ୍ୟ ଯା’ ନ ସରେ

ବର୍ଣ୍ଣି ପାରିବି କି ଅବୋଧ ଯୁବତୀ

ସାମାନ୍ୟ ମୋ’ ଭାଷରେ ।

ଘେନା ହେଉ ମୋ’ ବିନତି ସଦୟରେ

ଶ୍ରୀପଙ୍କଜାଙ୍ଘ୍ରିତଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ’ ନିଶ୍ଚଳେ ।୨୧।

 

ସଦୃପୀ ଜଗଦାଦି- କନ୍ଦ ଶ୍ରୀପତି

ଫୁଲ୍ଲାରବିନ୍ଦାଷ ହେ,

ସାଧୁ ଗୋ ଦ୍ୱିଜ ଦୀନ ଆର୍ତ୍ତହର ହେ

ମୁକ୍ତି ମହାବୃକ୍ଷ ହେ ।

ଚାରିବର୍ଗ ଲଭନ୍ତି ଜୀବ ପଦେ

ଭକ୍ତି ଭରି ନିର୍ମଳେ

ତୁମ୍ଭ ଶ୍ରୀଚରଣାମ୍ବୁଜେ ରହୁ ସଦା

ଚିତ୍ତାଳି ମୋ ନିଶ୍ଚଳେ ।୨୨।

 

(ରାଗ-ବଙ୍ଗଳାଶ୍ରୀ)

 

ବିଶ୍ୱାମିତ୍ର-ମଖ ଶେଷେ ରାମ ଆଗେ

ମିଥିଳା ଆଗତ ଦୂତ,

ସୀତା-ସ୍ୱୟମ୍ବର ବିଧାନ ସକଳ

ବିସ୍ତରେ କଲା ବିବୃତ ।

‘‘ମିଥିଳାଧିପତି ଜନକ ରାଜର୍ଷି

କରିଛନ୍ତି ଏହି ପଣ,

ଯେ ଭାଙ୍ଗିବ ହର- କାର୍ମୁକ, କରିବେ

ତାକୁ ସୁତା ସମର୍ପଣ ।

 

ଜନକଦୁହିତା ଧରଣୀସମ୍ଭୂତା

ସାକ୍ଷାତ ଲକ୍ଷ୍ମୀରୂପିଣୀ,

ଅକଥନୀୟ ତା’ ରୂପ ଗୁଣ କଥା

ହୋଇଛି ବିଶ୍ୱବ୍ୟାପିନୀ ।

କେତେ ମହାବୀର ଧନୁ ଭାଙ୍ଗିବାକୁ

ସଦର୍ପେ ଆସି ଉନ୍ମୁଖେ,

ଭାଙ୍ଗିବାର ଥାଉ, ଉତ୍ତୋଳନ ବିନା

ପଳାଇଲେ ନତମୁଖେ ।’’

 

ସୀତା-କମଳିନୀ କଥା-ମଧୁଗନ୍ଧ

ଦୂତ-ମାରୁତେ ଆନୀତ,

ହୋଇ ରଘୁନାଥ ଚିତ୍ତ୍ର-ଭ୍ରମରକୁ

କରିଦେଲା ଲୋଭାନ୍ୱିତ ।

ତହିଁ ଦାଶରଥି ଲକ୍ଷ୍ମଣ ସହିତ

ଉତ୍ସୁକେ ଧନୁ-ଦର୍ଶନେ,

ବିଶ୍ୱାମିତ୍ର ସଙ୍ଗେ ଯାଉଁ ପଥ ମଧ୍ୟେ

ପ୍ରବେଶ ଗୌତମବନେ ।

 

ଗୌତମ ଆଶ୍ରମ ଅତି ପୁଣ୍ୟଧାମ

ସପୁଷ୍ପ ପାଦପଗଣ,

ପୁଷ୍ପ-ଅର୍ଘ୍ୟ କରେ ସତେ କି ଶ୍ରୀରାମେ

କରୁଛନ୍ତି ଆମନ୍ତ୍ରଣ ।

ଘନ କିଶଳୟ ଡାଳ ଖଗଦଳ

କରି ମଧୁ କଳସ୍ୱର,

ବୋଲୁଛନ୍ତି ଯେହ୍ନେ ‘‘ଶୀତଳ ଛାୟାରେ

ରାମଚନ୍ଦ୍ର, ବିଜେ କର ।’’

 

ଅହଲ୍ୟା ଯୁବତୀ ପତି-ଅଭିଶାପେ

ସେ ବନେ ହୋଇ ପଥର,

ପଡ଼ିଛନ୍ତି ଚିର- କାଳରୁ ପୟର-

ରଜ ଆଶେ ଶ୍ରୀରାମର ।

ମନୋହର ସ୍ଥାନ ଦେଖିଣ ଶ୍ରୀରାମ

ସେଠାରେ କଲେ ବିଶ୍ରାମ,

ବିଶ୍ୱାମିତ୍ର ମୁନି- ମୁଖରୁ ଶୁଣିଲେ

ଇତିହାସ କଥାଗ୍ରାମ ।

 

ପତିତପାବନ ଶ୍ରୀରଘୁନନ୍ଦନ

ଲଗାନ୍ତେ ପଦପଙ୍କଜ,

ଅହଲ୍ୟା ଉପଳ ସରକ୍ତ ମାଂସଳ

ହେଲା ଲଭି ପଦରଜ ।

ଦିବ୍ୟ ନାରୀବର ଶ୍ୟାମ-କଳେବର

ରାମ ଆଗେ ହେଲା ଉଭା,

ବୋଧହେଲା କାବ୍ୟ- ତାରା ଉଇଁ ମଣ୍ଡି-

ଦେଲା ନୀଳ ବ୍ୟୋମକୁ ବା ।

 

ବିଷ୍ଣୁ ଚରଣରୁ ସମ୍ଭୂତା ଅଥବା

ମୂରତିମତୀ-ଜାହ୍ନବୀ,

ସୁର ନର ମୁନି ମୁଗ୍‌ଧ ହୋଇଯିବେ

ଚାହିଁଲେ ବାମାର ଛବି ।

ରାମପାଦେ ପଡ଼ି ଉଠି କରଯୋଡ଼ି

ବିନୟବତୀ ଯୁବତୀ,

ସ୍ତବ ଆରମ୍ଭିଲା କହି ବୀଣାଜିଣା

ମଧୁର ମୃଦୁ ଭାରତୀ ।

 

 

(ସ୍ତବାରମ୍ଭ)

 

‘‘ହେ ମହୀମଣ୍ଡନ ଜଗତବନ୍ଦନ

ଭକତମୁକତି-ଖଣି,

ସଂସାର-ସାଗର ତାରଣ ତତ୍ପର

କଇବର୍ତ୍ତ ଚୂଡ଼ାମଣି ।

ସାଧବପାଳନ ଦୁଷ୍ଟବିନାଶନ

କାରଣେ ଜାତ ଭୂତଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

କ୍ଷୀରାବ୍ଧିତନୟା ସୁକୋମଳ କରେ

କରନ୍ତି ଯା’କୁ ମର୍ଦ୍ଦନ,

ଯହୁଁ ସୁରଧୁନୀ ତ୍ରୈଲୋକ୍ୟପାବନୀ

ହୋଇଛନ୍ତି ଉତପନ୍ନ;

ରଜନୀ ବାସରେ ଯା’କୁ ପ୍ରେମଭରେ

ଭାବନ୍ତି ଯୋଗୀନ୍ଦ୍ର ଦଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ବ୍ରହ୍ମା ମହେଶ୍ୱର ଇନ୍ଦ୍ର ଆଦି ସୁର

ଭକତିଭରେ ସାଦରେ

ବିଷ୍ଣୁପଦେ ନିତି ନିୟମେ ଗମନ୍ତି

ରବି ଚନ୍ଦ୍ର ଯା’ର ତଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ବ୍ରହ୍ମାଣ୍ଡ ଉଦ୍ଭବ, ପାଳନ, ପ୍ରଳୟ

କର ତ୍ରିମୂରତି ଧରି,

ଦୁଃଖ-ଅନ୍ଧକାର ହର ଦୟାକର

ପ୍ରଦାନ କରି ହେ ହରି !

ପଙ୍ଗୁ ଲଙ୍ଘିପାରେ ତୁମ୍ଭର କୃପାରେ

ଅଚଳବର ଚଞ୍ଚଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ତୁମ୍ଭେ ସୂକ୍ଷ୍ମ ତୁମ୍ଭ ଅଚିନ୍ତ୍ୟ ମହିମା

ପୂରିଅଛି ଜଗତରେ,

କୋଟି କୋଟି ରବି ଗ୍ରହ ରକ୍ଷ ଜାତ

ହୁଅନ୍ତି ଇଚ୍ଛାମାତରେ,

ସର୍ବେ ମଗ୍ନ ତୁମ୍ଭ ଅଗାଧ ଅପାର

ମାୟା-ମହୋଦଧି ଜଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଦାସେ ବତ୍ସଳତା କରୁଣାଶୀଳତା

ପ୍ରକାଶି କୀରତି ରଖ,

ପ୍ରହ୍ଲାଦେ ମଘବା ବିଭୂତି କି ଦେବା

ପ୍ରମାଣ ତାର ପ୍ରତ୍ୟକ୍ଷ ।

ଶ୍ରୀବତ୍ସର ପଦ-ଚିହ୍ନକୁ ପଦକ

କରିଅଛ ବକ୍ଷତ୍ସଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ’ ମନ-

ଭ୍ରମର ରହୁ ନିଶ୍ଚଳେ ।

 

କ୍ଷୀର-ନୀର-ନିଧି ଫଣି ଫଣା ମଣି-

ଉଜ୍ଜ୍ୱଳ କୋମଳ କୋଳେ,

କୌସ୍ତୁଭଭୂଷଣ ତୁମ୍ଭ ନବ ଘନ-

ଶ୍ୟାମ ଅପଘନ ଦୋଳେ,

ତୁମ୍ଭ ଶାନ୍ତିମୟ କାନ୍ତି ଚଉଦିଗେ

ସୁଧା ବର୍ଷେ ଅବିରଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

କମ୍ବୁ ଚକ୍ର ଗଦା ପଦ୍ମ ଶୋଭେ ସଦା

କରେ, ପକ୍ଷୀପତି ଆଗେ,

ସହାସ୍ୟ ଆସ୍ୟରେ ବିରାଜି ପାଶରେ

ସରସ୍ୱତୀ ସାନୁରାଗେ;

ତୋଷନ୍ତି ଶ୍ରବଣ କରି ବୀଣାସ୍ୱନ

ସୁମଧୁରେ କୌତୂହଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

କନକବରଣ ଭାସ୍କର କିରଣ

ଯୋଗେ ଯଥା ନୀଳାମ୍ବର,

ନୀଳମଣି ରଙ୍ଗ ତୁମ୍ଭର ଶ୍ରୀଅଙ୍ଗ

ଶୋଭେ ଘେନି ପୀତାମ୍ବର;

ଶ୍ରୀଅଙ୍ଗ-ସୌରଭ ପୂରାଇ କକୁଭ

ଉଠଇ ନଭୋମଣ୍ଡଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଅନ୍ତର୍ଯ୍ୟାମୀ ହରି ବହୁରୂପ ଧରି

ରହିଛ ବ୍ୟାପି ସଂସାରେ,

ଜୀବେ ଅହରହ ନେତ୍ର ପାଶେ ରହ

ତଥାପି କେ ଦେଖିପାରେ ?

ଯୋଗର ଅୟନେ ଜ୍ଞାନର ନୟନେ

ଜ୍ଞାନୀ ଦେଖେ ଧ୍ୟାନବଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ମହା ମହୀୟାନ-ବାହା ଭଗବାନ

ଆସିଲ ଯାହା ମୋ ଭାଗ୍ୟେ,

ମର୍ତ୍ତ୍ୟେ ଧରି ନୃପ-କୁମାର ସ୍ୱରୂପ

ଅବତରି ମହୀଭାଗେ;

ରଖିଲ ପାତକୀ-ପାବନ କୀର୍ତ୍ତିକି

ସିନା ଏ ମହୀମଣ୍ଡଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଜଗଦାଦିକନ୍ଦ ସତ୍‌ଚିଦାନନ୍ଦ

ଫୁଲ୍ଲ ଅରବିନ୍ଦ-ମୁଖ,

ସାଧୁ ଗୋ ବ୍ରାହ୍ମଣ ଦୀନ ଆର୍ତ୍ତଜନ-

ମାନଙ୍କର ହର ଦୁଃଖ,

ଘେନି ତିନି ବର୍ଗ ସଦା ଅପବର୍ଗ

ସ୍ରୋତରୂପେ ଯହୁଁ ଗଳେ;

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

କୌଶଲ୍ୟା ଉଦର କ୍ଷୀର ଅକୂପାର

ସମ୍ଭୂତ ଆହ୍ଲାଦକର

ଜଗତ ନୟନ-ଚକୋର ତୋଷଣ-

ପଟୁ ପୂର୍ଣ୍ଣ-ସୁଧାକର;

କର୍ଣ୍ଣ ଶୋଭେ କବି ବୃହସ୍ପତି ଛବି

ଉଜ୍ଜ୍ୱଳ ମଣି କୁଣ୍ଡଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ସହସ୍ର ଅତନୁ ଜିତ ରମ୍ୟ ତନୁ

ଧନୁ ରାଜେ ବାମ କରେ,

ନିଶାଚର ଭୂପ-ରକତ ଲୋଲୁପ

ଶର ଶୋଭେ ବାମେତରେ;

ଧରିଅଛ କାୟ ସାକ୍ଷାତ କ୍ଷତ୍ରିୟ

ଧରମ ବସୁଧା ତଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଧନ୍ୟ ଭାଗ୍ୟବତୀ ଏହି ବସୁମତୀ

ଧନ୍ୟ ସେ ଅଯୋଧ୍ୟାପୁରୀ,

ବଇକୁଣ୍ଠାଶ୍ରମ ଶୋଭନୀୟ ରମ୍ୟ-

ସମ୍ପଦକୁ କଲେ ଜୁରୀ;

ଯେଉଁ ପାଦରଜ ନୁହଇ ସହଜ

ମିଳିବାକୁ ଆଖଣ୍ଡଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଧନ୍ୟ କଉଶଲ୍ୟା ନୃପତି ମହିଳା

ତୁମ୍ଭଙ୍କୁ ଯା’ ଧରେ କୋଳେ,

ଧନ୍ୟ ଦଶରଥ ନୃପ ଭାଗ୍ୟବନ୍ତ

ଭାସନ୍ତି ସୁଧା-କଲ୍ଲୋଳେ,

ଜଗତଠାକୁର ହୋଇଛ କୁମର

ତାହାଙ୍କ ତପସ୍ୟାଫଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ବାସବେ ପୀରତି ଦେଖି ମୋର ପତି

ଦେଲେ ମୋତେ ଅଭିଶାପ,

ଯୁଗ-ଯୁଗାନ୍ତର ହୋଇ ମୁଁ ପଥର

ପଡ଼ିଥିଲି ବହି ତାପ;

ମୋର ସେହି ପାପପତି-ଅଭିଶାପ

ଧୋଇଲ କରୁଣା-ଜଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଯେଉଁ ପାଦଧୂଳି ଶଶାଙ୍କ-ମଉଳି

ଲଭିବାର ସୁଦୁଷ୍କର,

ବ୍ରହ୍ମା ହିଁ ଯାହାକୁ ଶିରେ ମଣ୍ଡିବାକୁ

ଲୋଡ଼ୁଥାନ୍ତି ନିରନ୍ତର,

ମୋ ପାଶକୁ ନିଜେ ପ୍ରଭୁ କରି ବିଜେ

ମଖାଇ ଦେଲ କୋମଳେ;

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଦେଖୁଛି ପ୍ରତ୍ୟକ୍ଷ ସୁରକଳ୍ପବୃକ୍ଷ

ଦଣ୍ଡାୟମାନ ଆଗରେ,

କରି ଦରଶନ ତୁମ୍ଭ ଶ୍ରୀଚରଣ

ଭାସୁଛି ସୁଧା-ସାଗରେ;

କୋଟିଜନ୍ମକୃତ ଅଘ ଅଗଣିତ

ଛାଡ଼ି ଏବେ ଦୂରେ ଗଲେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଜୟ ରଘୁବଂଶ ଉଜ୍ଜ୍ୱଳଉତ୍ତଂସ

ରାଜେନ୍ଦ୍ର ମୁକୁଟମଣି,

ରୂପ ମଧୁମୟ ଉଦାର ହୃଦୟ

ଧରାବୀରଗଣାଗ୍ରଣୀ;

ଅସୁର ଗହନ ଅଚିରେ ଦହନ

ହେବ ତୁମ୍ଭ ଶରାନଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ଅଶେଷ ଆସ୍ୟରେ ଅନନ୍ତ ଭାଷରେ

ନ ସରେ ମହିମା ଯା’ର,

ପାରିବ କି କହି ନରତନୁ ବହି

ମୋ ପରି ଅବଳେ ଛାର;

ତୋ’ ଗୁଣ ଗାଇବା ଭେଳା ପକାଇବା

ସିନା ମହାର୍ଣ୍ଣବ ଜଳେ,

ତୁମ୍ଭ ଶ୍ରୀଚରଣ-କମଳେ ମୋ ମନ-

ଭ୍ରମର ରହୁ ନିଶ୍ଚଳେ ।

 

ସଶରୀର ପ୍ରାଣ ଯେ କରେ ପ୍ରଦାନ

ତାଙ୍କୁ ବନ୍ଦିବାର ଭାଷା,

ନିଜେ ବୀଣାପାଣି ନ ଥିବେ ତ ଜାଣି

ତହିଁ କାହିଁ ମୋର ଆଶା ?

ତଥାପି ନ କହି ହୁଏ ନାହିଁ ରହି

ଯାହାକୁ ଯା’ ଦିଶେ ଭଲ,

ସେହିପରି ଦୁଇ ଚାରି କଥା କହି

କୃତାର୍ଥ ହେଲି କେବଳ ।’’

 

ଏକାଳେ ପବନ ଦେବତା ସୁମନ

ବନରୁ କରି ଚୟନ,

ରାମଚନ୍ଦ୍ର ଶିରେ ଆଣି ଧୀରେ ଧୀରେ

କରିଦେଲେ ବରଷଣ ।

ଭକ୍ତିଗଦ୍‌ଗଦ ଚିତ୍ତେ ରାମପଦ

ତଳେ ଦଣ୍ଡପ୍ରାୟ ହୋଇ,

ପଡ଼ି ଋଷିଜାୟା ନବଲବ୍‌ଧ କାୟା

ଉଠି ତନୁ ଲୁହେ ଧୋଇ;

 

ସଧୂଳି ମସ୍ତକେ ପୁଣି କରଯୋଡ଼ି

ଛାମୁରୁ ମେଲାଣି ମାଗି,

ସ୍ୱାମୀ ଦରଶନ ଆଶେ ପରସନ୍ନ

ହୃଦୟେ ଗଲା ଶୁଭାଙ୍ଗୀ ।

ପରାଶର-ସୁତ ବାଲ୍ମୀକି ସହିତ

କହିଯାଇଛନ୍ତି ଶ୍ଳୋକେ,

ଏ ସ୍ତବ-ପଠନେ ଶ୍ରୀରାମସ୍ମରଣେ

ସଦ୍‌ଗତି ଲଭିବେ ଲୋକେ ।

 

ବିନାଶି ବିପତ୍ତି ପାଇବେ ସମ୍ପତ୍ତି

ସହିତ ଶାନ୍ତ ସନ୍ତାନ,

ଅହଲ୍ୟାର ପ୍ରାୟେ ପାଷାଣ ହୃଦୟେ

ମୂର୍ତ୍ତିମନ୍ତ ହେବ ଜ୍ଞାନ ।

 

ବିରହବ୍ୟଥିତ ରାମ

 

ଦିନେ ରାଘବ ମାଲ୍ୟବନ୍ତ ଶିଖରେ

ଥାଇ ତରୁମୂଳରେ

କାନ୍ତା-ବିରହ-ଶୋକଗଦ୍‌ଗଦ ସ୍ୱରେ

ବୋଲନ୍ତି ଆକୁଳରେ,

କେତେ କଷ୍ଟ ବିହି ବିହି ଥୋଇଛ ହେ

ନିଷ୍ଠୁରେ ମୋ’ ଭାଲରେ

ଦୁଃଖାବ୍ଧି-ଲହରୀରୁ ପାରି ହେବି କି

ଆଉ କେତେ କାଳରେ ।

 

ରାଜ୍ୟେ ରାଜବିଭୂତିକି ତେଜି ଦେଲି

ପିତାଙ୍କ ଆଦେଶରେ

ବିପିନେ ନବପଞ୍ଚ ବର୍ଷ ରହିବି

ଦୀନ ଯତିବେଶରେ

ବର୍ଷା ଶୀତ ନିଦାଘରେ ତରୁମୂଳେ

ଥାଇ ସଦା କ୍ଳେଶରେ

ଥାଏଁ ଚିତ୍ତବିନୋଦିନୀ ପ୍ରଣୟିନୀ

ସଙ୍ଗେ ମତିତୋଷରେ ।

 

ଆସିଥିଲେ ସୀତା ଶୀତାଂଶୁବଦନୀ

ମୋ ଚିତ୍ତ ଆହ୍ଲାଦନେ

ଭାଇ ଲକ୍ଷ୍ମଣ ସ୍ନେହାଧୀନେ ରହି

ଥା’ନ୍ତି ସଦା ସେ ବନେ

ଆନନ୍ଦ ଫଳମୂଳ ଭୋଜନ କରି

ବଞ୍ଚୁଥିଲୁଁ କାନନେ

ତାହା ମା’ ପ୍ରତିକି ଅସହ୍ୟ ହୋଇଲା

କ୍ରୂରାବ୍‌ଜ-ଯୋନି ମନେ ।

 

କେ ଆସି ପ୍ରିୟ ପ୍ରତ୍ନୀକି କପଟେ ମୋ-

ଅଜ୍ଞାତେ ନେଇଗଲା

ଆନନ୍ଦାଚଳେ ମୋ ନିଦାରୁଣ ପଣେ

କୁଳିଶ ବର୍ଷା କଲା

କାହାକୁ କହିବି ମନୋଗତ କଥା

ମୋ ଦୁଃଖ କେ ବୁଝିବ

ଶାନ୍ତି-ବାରିକି ଶୋକତପ୍ତ ହୃଦରେ

ଆହ୍ଲାଦେ କେ ସିଞ୍ଚିବ ।

 

ହା ଶିରୀଷ ସୁକୋମଳାଙ୍ଗି ! ନଳିନ-

ନେତ୍ରି ! ଧରାମଣ୍ଡନେ !

ହା ବିମ୍ବାଧରି ! ହା ଚିକୁରଶୋଭିନି !

ଦୁଃଖାବଳୀଖଣ୍ଡନେ !

ହା ପ୍ରିୟେ ! ସ୍ମିତହାସିନି ! ସୁବଚନି !

ହା ପୂର୍ଣ୍ଣଚନ୍ଦ୍ରାନନେ !

ବନ୍ଧୁ ତୋ‘ ବିନୁ ଶୋକ-ସିନ୍ଧୁଜଳରେ

ଭାସିଲି ମୁଁ କାନନେ ।

 

ହା ହା ସୁହୃଦୟେ ! ଅଭିନ୍ନହୃଦୟେ !

ହା ଭୂପତିନନ୍ଦନେ !

କେଳିଲାଳସି ! କା’ ମୃଦୁଳ ତନୁକୁ

ମଣ୍ଡିବି ମୁଁ ଚନ୍ଦନେ

ଭୂଷିବି ହୃଦକୁ ସୁବାସ କୁସୁମେ

ଗୁନ୍ଥି କରି ମାଳରେ

ଚାରୁ ଗୈରିକବିନ୍ଦୁ ଦେବି କୁତୁକେ

ଶ୍ରଦ୍ଧାରେ କା’ ଭାଲରେ ।

 

ପ୍ରିୟେ ତୋ’ ମୁଖପର୍ବଶର୍ବରୀଶରୁ

ଲାବଣ୍ୟପୀୟୂଷକୁ

ଚକ୍ଷୁମାର୍ଗରେ ନିତ୍ୟପାନ କରି ମୁଁ

ଅର୍ଜୁଥିଲି ତୋଷକୁ

ଧାତା ମୋ ପ୍ରତି ଚିର ଦର୍ଶରଜନୀ

ସମ୍ପାଦିଲା କର୍ମ ଧିକ୍

କାହିଁ ସେ ମୁଖଚନ୍ଦ୍ର ଆଉ ଦେଖିବି

ଅନ୍ଧାରିତେ ଦିଗ୍-ବିଦିକ୍ ।

 

ଭାଷୁ ଯେଉଁ ପଦେ ପଦେ ମୃଦୁ ହସି

ବାଣୀ ଅନୁରାଗରେ

ବର୍ଷେ ଚାରୁ ସୁଧାର ଧାର ସଘନେ

ସେ ମୋ ଶ୍ରୁତିମାର୍ଗରେ

ଜମ୍ଭାରାତି ବିଭୂତିକି ପଦତଳେ

ଥୋଇଥିଲି ଭାଗ୍ୟରେ

କୌତୁକିନି ! ପ୍ରିୟେ ! ନିବିଡ଼ ଗହନେ

ଘେନି ତୋତେ ସଙ୍ଗରେ ।

 

ଘୋଟିଲାଣି ସୁନୀଳ ମେଘ ସଘନେ

ଆସି ବିୟନ୍ମଣ୍ଡଳେ

ପଂକ୍ତିବଦ୍ଧ ବକାଳୀମାଳ ମୁକୁତା

ଲମ୍ବାଇ ଦେଇ ଗଳେ

ହସ୍ତେ ଘେନି ବିଚିତ୍ର ବାସବଧନୁ

ଗର୍ଜେ ଗଭୀର ସ୍ୱନେ

ବିଦ୍ୟୁତ୍ ବାଣ ପ୍ରହାରୁଛି ସେ ବିରହୀ

ଜନ୍ତୁଗଣେ ନାଶନେ ।

 

ଯୋଗୀଏ ରହିଲେଣି ଚାହିଁ ସଭୟେ

ଶିଳୋଚ୍ଚୟ ଚୂଡ଼ରେ

ବାୟା ଦମ୍ପତ୍ତି ନୀରବେ ରହିଲେଣି

ସ୍ୱନୀଡ଼ରେ ନୀଡ଼ରେ

କାହିଁ ଚାତକ ଚାତକୀ ଘନପତି-

ତାମ୍ବୁ-କଣା ଆଶରେ

ଆନନ୍ଦିତ ମନେ ବୁଲନ୍ତି ଗଗନେ

ସପ୍ରେମ ଉଲ୍ଲାସରେ ।

 

କାହିଁ ଶ୍ୟାମ ସୁପକ୍ୱ ଜମ୍ବୁ ଅଶନେ

ତୃପ୍ତି ଲଭି ଡାଳରେ

କ୍ରୀଡ଼େ କୀର ନିଜ ପ୍ରିୟା ସହିତରେ

ପ୍ରେମାବ୍‌ଧି କଲ୍ଲୋଳରେ

ନୈଦାଘାଗ୍ନି ବିନାଶ ହେତୁ ବନରେ

ଘେନି ପ୍ରିୟା ସଙ୍ଗରେ

ବୁଲନ୍ତି ଯୂଥ ଯୂଥ ହୋଇ ହରିଣେ

ଚାହାନ୍ତି କି ରଙ୍ଗରେ ।

 

ଫୁଟି ରମ୍ୟ ହରିତ୍ କପିଶ କେଶରେ

ଶୋଭେ କଦମ୍ବାବଳୀ

କୂଟଜ କେତକୀ ଯୂଇ ବିକଶିତେ

ବାସିତ ଦିଙ୍‌ମଣ୍ଡଳୀ

କେତେବେଳେ ପ୍ରଫୁଲ୍ଲ ନୀପ ଉପରେ

କେବେ ଯୂଥିକୋପରେ

କର୍ଣ୍ଣପ୍ରିୟ ମଧୁର ନାଦେ ବିଳସେ

ଷଟ୍‌ପାଦ ଆନନ୍ଦରେ ।

 

ବ୍ୟୋମେ ଶ୍ୱେତ ଗରୁତ୍ ମଧୁର ବିରୁତେ

ଯାନ୍ତି ସମୁତ୍ସୁକରେ

ମୋଦେ ମାନସକୁ ଅଭିନ୍ନ-ହୃଦୟା

ଜାୟା ରଖି ପାଖରେ

ଅନ୍ୟ ସ୍ଥାନେ ସରୋବରେ ମୁକୁଳିତା

ପଦ୍ମାଟବୀ ମଧ୍ୟରେ

ଖେଳେ ସାରସଲକ୍ଷ୍ମଣା ସହିତରେ

ପ୍ରିୟେ ! ପ୍ରାମୋହାନ୍ତରେ

 

ପୂର୍ବେ ଚିତ୍ରକୂଟାଶ୍ରମେ ଏ ସମୟେ

ଥଲି ମହୋଲ୍ଲାସରେ

ଥା’ନ୍ତି ସଙ୍ଗତେ ମୈଥିଳୀ ପ୍ରିୟତମା

ତୋଷନ୍ତି ସଭାଷରେ

ରାଜେନ୍ଦ୍ରୋପନମରେ ଥିଲି ନିଜ ପୁରୀ

ସୌଖ୍ୟାବଳୀ ବିସ୍ମରି

ଏବେ ଛାତି ବିଦୀର୍ଣ୍ଣତାକୁ ଲଭୁଛି

ତଦ୍ଭାବ ଚିତ୍ତେ ସ୍ମରି ।

 

କାନ୍ତା-କାନ୍ତ-ମୃନ୍ଦୁବର୍ତ୍ତୁଳ ଉରୁ

ସୁବର୍ଣ୍ଣେ ସିଂହାସନେ

ଥାଏ ଚିତ୍ତ ପ୍ରସନ୍ନ ଡାହୁକ ତତି

ବନ୍ଦି-ସ୍ତୁତି ଭାଷଣେ

ଅଗ୍ରେ ନାଚେ ମୟୂରଚନ୍ଦ୍ରିକା ଟେକି

କେକା ଗୀତି ଗାୟନେ

ବାୟୁ କୀଚକ ବଂଶୀ ବାଦନକରେ

ଢକ୍‌କା ବଜାନ୍ତି ଘନେ ।

 

ଦର୍ଦ୍ଦୁରେ ଅଦୂରେ ବଜାନ୍ତି ବିଧିରେ

ତୈଲଙ୍ଗୀ ବାଜା ଠିକେ

ପ୍ରାତେ ଗା’ନ୍ତି ମଧୁର ଗୀତ କଜ୍ଜଳ-

ପତ୍ରୀ ସୁବୈତାଳିକେ ।

କାନ୍ତା ଜାନୁନୃପାସନୁ ଚ୍ୟୁତହୋଇ

ଦୁଃଖ-ସ୍ରୋତେ ଭାସୁଛିଁ

ସେହି ମେଘକରାଳ ରାହୁ ରୂପରେ

ଆସି ଏବେ ଗ୍ରାସୁଛି ।

 

ସମ୍ପତ୍କାଳେ ଜନେ ସମାଦର କରି

ପୂଜା କରନ୍ତି ପଦେ

ବିହି ରାମ ହେଲେ ସମସ୍ତେ ସହଜେ

ଶତ୍ରୁ ପରି ବିପଦେ ।

ବର୍ଷାକାଳର ବାରି ବିନ୍ଦୁ-ନଳିନୀ-

ଶ୍ରେଣୀ କି ଉଲ୍ଲାସଇ

ସେହି ବିନ୍ଦୁ ଶିଶିର ଆଗମ ହେଲେ

ଶତ୍ରୁ ହୋଇ ନାଶଇ ।

 

ତେଜି ଅତ୍ର-ଲିହାଗ୍ର ଶୁଭ୍ରରୁଚି

ଉତ୍ତୁଙ୍ଗ ଅଟ୍ଟାଳିକା

ମଧ୍ୟେ ଯା’ର ସୁବର୍ଣ୍ଣ ଖମ୍ବନିକରେ

ଲମ୍ବେ ମଣି ମାଳିକା ।

ତୋଷୁଥାନ୍ତି ଯହିଁ ପ୍ରିୟା ସଖୀଗଣେ

ପାଶେ ସୁସଙ୍ଗୀତରେ

ମଞ୍ଜୁ ମନ୍ଦ୍ର ମୃଦଙ୍ଗ ନାଦ ସହିତେ

ବାଇ ବୀଣା ଗୀତରେ ।

 

ଆସି ଘୋର ନିବିଡ଼ କାନନ ଘନ-

ଶ୍ରେଣୀ ଭେଦି ମନ୍ଦରେ

ନାନା ଗୁଳ୍ମଲତା ବୃତ୍ତେ ଫଣି-ମଣି-

ଜାଜ୍ୱଲ୍ୟମାନକଂଦରେ

ହୁଏ ଭୀମ ପ୍ରତିଧ୍ୱନିତ ଯହିଁରେ-

ଶାର୍ଦ୍ଦୂଳ ହସ୍ତି-ଧ୍ୱନି

ସେଠାରେ ପ୍ରେମଦାମେ ବଦ୍ଧ ହୋଇ ମୋ

ଥିଲା ସୁଶୀୌଳାମଣି ।

(ଅସମ୍ପୂର୍ଣ୍ଣ)

 

କୁମାର ଜନ୍ମୋତ୍ସବ

 

ଆସିଗଲା ଆହା କେମନ୍ତ ସଉଭାଗ୍ୟ ସମୟ

ବରପଲ୍ଲୀ ହୋଇଯାଉଛି ସ୍ୱଚ୍ଛ ଆନନ୍ଦମୟ

ଶୁଭୁଛି ଅସଂଖ୍ୟ ବନ୍ଦୁକ-ଧ୍ୱନି ରାଜସଦନେ

ଧାଉଁଛନ୍ତି ପୁରବାସିଏ ଶୁଣି ହର୍ଷିତ ମନେ

ଦେଉଳ ବିବର ମଧ୍ୟରୁ ଉଡ଼ି ପାରାସକଳ

ମଣ୍ଡି ଦେଉଛନ୍ତି ଦଳକୁ-ଦଳ ବ୍ୟୋମମଣ୍ଡଳ

ଥରେ ଥରେ ବସିପଡ଼ନ୍ତି ଉଚ୍ଚ ପ୍ରାସାଦଚୂଳେ

ଶୋଭୁଛି କି ପୁରୀ ଗନ୍ଧର୍ବ କରସ୍ଖଳିତ ଫୁଲେ

ଉଡ଼ି ଉଡ଼ି ହଂସରାଳିଏ କରୁଛନ୍ତି ନିସ୍ୱନ

ହୁଳହୁଳି ଦେଉଛନ୍ତି ବା ସୁରବନିତାଗଣ

ଉଡ଼ୁଛନ୍ତି ତେଜି ତେନ୍ତୁଳୀ-ତରୁବକାଳୀମାଳ

ଦିଗଙ୍ଗନା ଅବା ଆସନ୍ତି ଧରି ଶ୍ୱେତ ଚିରାଳ

ବାଜି ବହୁବିଧ ବାଜଣା ସ୍ତବ୍ଧ କରେ ଶ୍ରବଣ

ବହୁ ଜନାକୀର୍ଣ୍ଣ ହୋଇଛି ଆଜ ରାଜଭବନ

ସମସ୍ତଙ୍କ ଶିରେ ହୋଇଛି ଫଗୁଗୁଣ୍ଡ ମଣ୍ଡନ

ପାଟଳିତ ହୋଇଯାଉଛି ଫଗୁଗୁଣ୍ଡେ ଗଗନ

ପ୍ରାସାଦ ଉପରୁ କୁମାର କେତେ ପଇସା ଟଙ୍କା

ଫିଙ୍ଗିଦେଉଛନ୍ତି, ନିଅନ୍ତି ଜନେ ନ କରି ଶଙ୍କା

ନିଠାଇ ମିଠାଇ ପାଇଣ ବାଳ-ବାଳିକାଗଣ

କରତାଳି ଦେଇ କରନ୍ତି ଡେଇଁ ଡେଇଁ ନର୍ତ୍ତନ

ଏମନ୍ତ ଆନନ୍ଦ ଉତ୍ସବ ହେଉଅଛି କାହିଁକି

ସୁହୃଦ ପାଠକମଣ୍ଡଳ ତାହା ଜାଣ ନାହିଁ କି

ବରପଲ୍ଲୀ ଅଧିପତିଙ୍କ ଏକମାତର ସୁତ

ଶ୍ରୀ ବୀର ମହୀନ୍ଦ୍ର ମନ୍ଦିରେ ନବସୁତ ସମ୍ଭୂତ

ଆହା କି ସୁନ୍ଦର କୁମର ଦେଖି ଆନନ୍ଦ ଉଠେ

ପଦ୍ମବନେ ପଦ୍ମ ନ ଫୁଟି ଆନ ଫୁଲ କି ଫୁଟେ

ହେଲେ ବରପଲ୍ଲୀ ଅଧିପ ଆଜୁଁ ବୃଦ୍ଧେ ଗଣିତ

ନାତିମୁଖ ଚାହିଁ ଆନନ୍ଦରସେ ହେଲେ ସିଞ୍ଚିତ

ପାଇଛନ୍ତି କେଡ଼େ ଭାଗ୍ୟରେ ଚିରବାଞ୍ଛିତ ନିଧି

ଆଚରିବେ ମହା ଆନନ୍ଦେ କେତେ ଉତ୍ସବ-ବିଧି

କେତେ ଉପହାର ପାଇବେ ତାଙ୍କ ଆଶ୍ରିତମାନେ

ମୋହୋ କପାଳରେ କି ଅଛି ତାହା ଦଇବ ଜାଣେ

ଏ ବାର୍ତ୍ତା ମୟୂରଭଞ୍ଜକୁ ଅତି ସତ୍ୱର ଯାଇ

ରାଜପରିଜନଗଣଙ୍କୁ ଦେବ ହର୍ଷେ ମଜ୍ଜାଇ

ନବ ଭାଗିନେୟ ଜନମ ଶୁଭବାରତା ପାଇ

ମହାରାଜଙ୍କର ଆନନ୍ଦ-ସୀମା ରହିବ ନାହିଁ

ରାଜଠାକୁରମା’ ଶୁଣିଲେ ହେବେ କେଡ଼େ ଆନନ୍ଦ

ବହିଯିବ ଅନ୍ତଃପୁରରେ ବେଗେ ପ୍ରମୋଦାନନ୍ଦ

ଉତ୍ତୁଙ୍ଗ ସଉଧବେଷ୍ଟିତ ସୁପ୍ରଶସ୍ତ ପ୍ରାଙ୍ଗଣେ

ମହାନନ୍ଦେ ଫଗୁ ଖେଳିବେ କୋଠ ଚାକରଗଣେ

ଛୋଟରାୟଙ୍କର ଆଦେଶେ କେତେ ବନ୍ଧୁକଧାରୀ

ଠିଆହୋଇ ପୁର କମ୍ପାଇ-ଦେବେ ବନ୍ଦୁକ ମାରି

ସେ ଶବଦ ‘ବେଳଗଡ଼ିଆ’ ରମ୍ୟ ରାଜଭବନେ

ହେଉଥିବ ପ୍ରତିଧ୍ୱନିତ ମନ୍ଦ୍ର ଗମ୍ଭୀର ସ୍ୱନେ

ହେଉଥିବ ‘ମଧୁରବନ’ରେ ଦୀର୍ଘ ପ୍ରତିଧ୍ୱନିତ

ଉଦ୍ୟାନବିହାରୀ ବିହଙ୍ଗେ ପୁଣି ହେବେ ଚକିତ

ନବଧୃତ ଗଜ ସକଳ ଶୁଣି ବନ୍ଦୁକ-ସ୍ୱନ

ପଳାୟନୋନ୍ମୁଖ ହୋଇବେ ତ୍ରସ୍ତେ କରି ଗର୍ଜନ

ଏ ବାରତା ଦେବଗଡ଼ରେ ହେବ ଆମୋଦପ୍ରଦ

ସୁରଗୁଜା ରାଜସଦନେ ହେବ ଅତି ସୁଖଦ

ଏହିରୂପେ ଶୁଭବାରତା ହୋଇ ଦିଗବ୍ୟାପିନୀ

କେତେକେତେ ଲୋକମାନସେ ହେବ ତୋଷଦାୟିନୀ

ଏ ପାଖରେ ଏକବିଂଶତି-ରାତ୍ରି ଉତ୍ସବ ପାଇଁ

କି କି ଆୟୋଜନ ହେଉଛି ଥରେ ଦେଖିବା ଯାଇ

ପ୍ରଶସ୍ତ ପ୍ରାଙ୍ଗଣେ ପ୍ରଶସ୍ତ ଚନ୍ଦ୍ରାତପ ମଣ୍ଡନ

ହୋଇ, କରୁଅଛି ଦର୍ଶକ-ନେତ୍ର-ଦୁଃଖ ଖଣ୍ଡନ

ବନ୍ଧୁ ଉପହାର ନିମନ୍ତେ କୋଷାବସ୍ତ୍ର ବିଶେଷ

ପ୍ରସ୍ତୁତ ସକାଶେ କୋଷ୍ଟାଏ ପାଇଲେଣି ଆଦେଶ

ପଣ୍ଡିତ ବ୍ରାହ୍ମଣମାନଙ୍କ କର୍ଣ୍ଣଭୂଷଣ ଲାଗି

କୁଣ୍ଡଳ ଗଠନେ ସୁନାରୀମାନେ ଗଲେଣି ଲାଗି

ସମ୍ବଲପୁରିଆ ଚାନ୍ଦୁଆ ପଡ଼ି ଶାଢ଼ୀ ଆସିବ

ବିପ୍ର ସୀମନ୍ତିନୀମାନଙ୍କ ମାନସକୁ ତୋଷିବ

ବିନିକା ଗ୍ରାମରୁ ଆସିବ ହଂସାବଳୀ କପଟା

ଭଦ୍ରମହିଳାଙ୍କ ପିନ୍ଧିବା ପାଇଁ ହୋଇବ ବଣ୍ଟା

ସାମନ୍ତଙ୍କ ମୁଖରଞ୍ଜନ ପାଇଁ ହେବ ପ୍ରଦାନ

ରାୟଗଡ଼ ଚୋଖି ଖଇର ସ୍ୱର୍ଣ୍ଣପୁରିଆ ପାନ

ନବ କୁମାରଙ୍କ ସୁବର୍ଣ୍ଣ ହାରେ ହେବ ଖଚିତ

ହୀରାକୁଦ ଜାତ ହୀରକ ଆଣିବାର ଉଚିତ

କଟକରୁ ଆସିଗଲେଣି ଏକ ଦଳ ନର୍ତ୍ତକ

ବ୍ରହ୍ମପୁରୀ ଦାରୀ ଆଣିବା ଆଉ କି ଆବଶ୍ୟକ

ଏହିରୂପେ ନାନା ପ୍ରକାରେ ଆୟୋଜନ ଲାଗିଛି

ରାଜାପରିଚରଗଣଙ୍କୁ ଅବସର କାହିଁଛି

ହେ ବିଶ୍ୱପାଳକ କରୁଣା-ମୟ ଜଗଦୀଶ୍ୱର

କୃତାଞ୍ଜଳି ହୋଇ ଛାମୁରେ ମାଗୁଅଛି ଏ ବର

କୃପାମୟ ଜ୍ୟୋସ୍ନା ବିତର ଆମ୍ଭ ରାଜ-ଆଳୟେ

ଦୁଃଖ-ତମ ପଶି ନ ପାରୁ କଉଣସି ସମୟେ

ସୁଧାମୟ ସୁଖ ପ୍ରଦାନି କରୁଥାଅ ପାଳନ

ଚିରଜୀବୀ ହୋଇ ରଖନ୍ତୁ ନବ ରାଜନନ୍ଦନ

ସକଳ ସୁଗୁଣ ଭୂଷଣେ ତାଙ୍କୁ କର ଭୂଷିତ

ଦେଶ ବିଦେଶରେ କୀରତି ହେଉ ସୁପ୍ରକାଶିତ

ପିତା, ପିତାମହ କୋଳରେ ହେଉଥାନ୍ତୁ ଶୋଭିତ

ଦେଖି ଆମ୍ଭ ହୃଦ-ଆନନ୍ଦ ହେଉଥିବ ବର୍ଦ୍ଧିତ

 

ଭାରତୀ ରୋଦନ

 

ଉତ୍କଳ ଭାରତୀ ରୋଦନ କରୁଛି

କାତରେ ସମ୍ବଲପୁରେ,

ସେ ବିକଳ ଧ୍ୱନି କର୍ଣ୍ଣରେ ପଡ଼ିଲେ

ନୟନେ ଲୋତକ ପୂରେ ।

ବୋଲଇ ଦୁଃଖିନୀ କେତେ କେତେ କଷ୍ଟ-

ସହି ମୋ କୋଳରେ ଧରି,

କୁମାରଙ୍କୁ ମୋର ପାଳନ କରୁଛି

ପ୍ରାଣାଧିକ ସ୍ନେହ କରି ।

 

ପୁତ୍ରମାନେ ମୋର ବଢ଼ି ଆସୁଛନ୍ତି

ଶୁକ୍ଳପକ୍ଷେ ଯଥା ଶଶୀ,

ଶ୍ରବଣକୁ ମୋର ତୋଷୁଥା’ନ୍ତି କହି

ମୃଦୁବାକ୍ୟେ ହସି ହସି ।

ନାନା ଉପହାରେ ପୂଜିବେ ମୋ ପାଦେ

ଏହି ଆଶା ଥିଲା ମନେ,

ଦାବାନଳ ଆସି ଲାଗିଯାଉଅଛି

ସେ ଆଶା କୁସୁମବନେ ।

 

ଫୁଟି-ଆସୁଅଛି ଆହା କି ! ସୁନ୍ଦର

ସୁନ୍ଦର କୁସୁମମାନ

କେତେ ବୃକ୍ଷେ ଅବା ଫଳମାନ ଫଳି

ହୋଇଅଛି ସାନ ସାନ ।

ଏହି ସୁଖମୟ ସମୟେ ଦଗଧ

ହେଉଅଛି ଏହି ବନ,

ଦେଖି ବିସ୍ମୟରେ ହାହାକାର କରୁ-

ଛନ୍ତି ମୋ କୁସୁମଗଣ ।

 

ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି

କରିବ ପରା ରାଜତ୍ୱ,

ମୋ ଆଶା କାନନ ଭସ୍ମରାଶି ହେବ

ତା ନବ ଉଦ୍ୟାନେ ଖତ ।

ଉପମାତା ଆସି ଗର୍ଭଧାରିଣୀର

ମସ୍ତକେ ଚରଣ ଦେବ,

ଏ ଦଶା ଦେଖିଲେ କେଉଁ ସନ୍ତାନର

ମନରେ ଦୁଃଖ ନ ହେବ ?

 

ତା’ କୁନ୍ତ ପ୍ରହାରେ ଜୀବନ ନ ଯିବ

ହେଉଥିବି କଲବଲ

ମୋହ ରକ୍ଷା ପାଇଁ ବିକଳ ମୋ ପୁଏ

ମୁଖେ ଦେଉଥିବେ ଜଳ ।

ଏ କଥା ସୁମରି ସୁମରି ମୋ’ ତନୁ

ହୋଇ ଆସିଲାଣି କ୍ଷୀଣ,

ଚିନ୍ତା-ଜ୍ୱର ମୋତେ ଘୋଟି ଆସିଲାଣି

ରହିବ କି ଚିରଦିନ ?

 

ଆହା ରେ ଦଇବ ଏହି କଷ୍ଟ ଦଶା

ଲେଖିଅଛୁ କି ମୋ ଭାଲେ,

ପଥର ବର୍ଷଣ ହେବ କି ଅକାଳେ

ମଲ୍ଲିକା କୁସୁମମାଳେ ।

କରଯୋଡ଼ି ଏହି ପ୍ରାର୍ଥନା କରୁଛି

କୃପାମୟ ରାଜରାଜ,

କାହିଁକି ମୋଠାରେ କୃପା ଊଣା ହେଲା

ଏତେ କାଳପରେ ଆଜ ।

 

ମୋହ ଜାଣିବାରେ ଶ୍ରୀଛାମୁରେ ମୁହିଁ

କରି ନାହିଁ କିଛି ଦୋଷ,

ନୀତି-ପରାୟଣ କେଉଁ କାରଣରେ

ଅଭାଗିନୀ ପ୍ରତି ରୋଷେ ।

ମହା କାକୁସ୍ଥରେ ଉଚ୍ଚୈସ୍ୱରେଦେଖ

କାନ୍ଦୁଛନ୍ତି ମୋର ପୁଏ,

ଅରକ୍ଷ ରକ୍ଷକ ଏମାନଙ୍କ ପ୍ରତି

କାହିଁକି କୃପା ନ ହୁଏ ?

 

ଜ୍ଞାନ କଳାକର ଶୀତଳ ଧବଳ

ବିଶୁଦ୍ଧ ଜ୍ଞାନ କିରଣ

ଜଗଜ୍ଜନ ହିତ କାରଣ ସତତ

କରୁଅଛି ବିତରଣ ।

ସେ କିରଣମାଳେ ହେଉଅଛି ଆଜ

ଜଗତ ଆଲୋକମୟ,

ମୋହ ଭାଗ୍ୟେ କିପାଁ ଘୋଟିଆସୁଅଛି

ନିବିଡ଼ ତିମିରଚୟ ।

 

ଆସ ବାପଧନ ନୃପରାଜ ସିଂହ

ବରପଲ୍ଲୀ ଅଧୀଶ୍ୱର,

ତୁମ୍ଭ ପରା ଲୋକ ସହାୟ ନ ହେଲେ

ହେଲି ସିନା ଅନାଦର ।

କାହାକୁ କହିବି ଆଉ କେ ମୋ ଅଛି ?

ଜାଣିବାକୁ ମନକଥା,

ତୁମ୍ଭମାନେ ଯେବେ ମନ ଲଗାଇବ

ଘୁଞ୍ଚିପାରେ ମୋର ବ୍ୟଥା ।

 

ଆସ ଆସ ମୋର ପ୍ରିୟ ହରିହର

ସିଂହ ରାୟ ବାହାଦୁର,

ବଚନରେ ମୋର କାଳି ଲାଗୁଅଛି

ଯତ୍ନେ ବେଗେ କର ଦୂର ।

ବେଳ ଥାଉଁ ଥାଉଁ ଯତ୍ନକର ବେଗେ

ଆସ ମୋ କୁମାରଗଣ,

ପାଣି ବହିଗଲେ ବନ୍ଧ ବାନ୍ଧିବାର

ହେବ ସିନା ଅକାରଣ ।

 

ବିନୟ ଭାବରେ ନିବେଦନ କର

ସର୍ବେ ହୋଇ ଏକମୁଖ

ଧର୍ମ ଅବତାର ରାଜ-ରାଜେଶ୍ୱର

ଅବଶ୍ୟ ଶୁଣିବେ ଦୁଃଖ ।

ମହତ ଛାମୁରେ ପ୍ରାର୍ଥନା କରିବା

ପ୍ରଶଂସ୍ୟ ଅଟଇ ସଦା,

ଫଳ ଲାଭ ପଛେ ନ ହେଲେ ନ ହେବ

ନାଚେ ନ ଯାଚିବ କଦା ।

 

ମୋହ ଲାଗି କେତେ ଯତନ କରୁଛି

ଆହା ମୋ ଧରଣୀଧର,

ତତେ ଘେନି ମୁହିଁ ପୁତ୍ରବତୀ ଏକା

ତୁ ମୋର ଯୋଗ୍ୟ କୁମର ।

ଆଉ କେତେଜଣ ଅଛନ୍ତି ବତ୍ସରେ

ତୋହ ଗୁଣ ଅନୁସରି,

ଚିରଜୀବୀ ହୁଅ ସୁଖୀ ହୋଇଥିବି

ତୁମ୍ଭଙ୍କୁ କୋଳରେ ଧରି ।

 

ଆଉ କେତେଗୋଟି ମହାତ୍ମା ଅଛନ୍ତି

ସ୍ୱାର୍ଥପର ସିନା ସର୍ବେ,

ଆଜି ଯାଏଁ ମୋତେ ଚିହ୍ନିନାହାନ୍ତି ସେ

ପଦ ମଦ ଧନ ଗର୍ବେ ।

ଧନ ଯଉବନ ନିତ୍ୟ ନୁହେଁ ବାବୁ

ପଦ୍ମଦଳେ ଜଳ ଯଥା

ଯେ ଯାହା କରିବ ଚିରଦିନ ପାଇଁ

ରହିଯିବ ସିନା କଥା ।

 

ଉତ୍କଳ-ଭାରତୀଙ୍କ ନିବେଦନ

 

ଜୟ ଜୟ ଉଡ଼ବରନ ଦୟାମୟ ହୃଦୟ

ନ୍ୟାୟ କଳାକାର ସ୍ୱରୂପେ ହୋଇଅଛ ଉଦୟ

ଭାଷା କୁମୁଦିନୀ ବିକଶି ତୁମ୍ଭ କରୁଣାକରେ

ଚୌଦିଗେ ସୁଲେଖା ସୌରଭ ରାଶି ପ୍ରକଟ କରେ

ପ୍ରଶସ୍ତ ହୃଦୟ ତୁମ୍ଭର ସର୍ବବିଦ୍ୟା-ଭଣ୍ଡାର

ଶାନ୍ତି ସୁବିଚାର ସାରଲ୍ୟ କ୍ଷମାଦିର ଆଧାର

ଜଗତରେ କେହି ନୁହନ୍ତି ତୁମ୍ଭ ନୟନେ ଅରି

ଅରି ହେଲେ ତୁମ୍ଭ ସମକ୍ଷେ ହୁଏ ବାନ୍ଧବ ସରି

ଦୁଃଖିନୀ ମୁଁ ଚିରକାଳରୁ ରହି ସମ୍ବଲପୁରେ

ଲାଳିତ ପାଳିତ ନୃପତି-ସ୍ନେହେ ନୃପତି-ପୁରେ

ନୃପ ସ୍ନେହ ଦେଖି ସମସ୍ତେ କରୁଥାନ୍ତି ଆଦର

ନୃପ ଯତନରେ ବଢ଼ିଛି ତନୁକାନ୍ତି ମୋହର

ରାଜପୁରେ ବସି ଆସୁଛି ସଦା ଉଚ୍ଚ ଆସନେ

ତନୁ ପୁଷ୍ଟି ମୋର ହୋଇଛି ରାଜ-ଅନ୍ନ ଭୋଜନେ

ଏ କଥାରେ ଯଦି ନ ହେବ ଛାମୁଙ୍କର ପରତେ

ସାକ୍ଷୀ ମାଳ ମାଳ ଦେଉଛି ଶ୍ରୀଛାମୁଙ୍କ ପରତେ

ବଳରାମ, ବାଳମୁକୁନ୍ଦ ପଟ୍ଟନାୟକ ଯୁଗ

ପୂର୍ବେ ଦେଖିଥିଲେ ଏକା ସେ ଯାଇଅଛି ସେ ଯୁଗ

ଗୋପୀନାଥ ଗୁରୁ ଗଲେଣି ଚଳି ଅମରଧାମ

ସେ ଥିଲେ ମଧ୍ୟ ପ୍ରଦେଶରେ ରଖିଥାନ୍ତେ ମୋ ନାମ

ବନମାଳୀ ମିଶ୍ର ଅଛନ୍ତି ଆଜି ସାରଙ୍ଗ-ଡରେ

ମୋହପାଇର୍ ଦେଇପାରନ୍ତି ସାକ୍ଷ୍ୟ ପ୍ରାଣପଣରେ

ଦୀନବନ୍ଧୁ ପଟ୍ଟନାୟକ ସ୍ୱର୍ଣ୍ଣପୁର ଦେଓ୍ୟାନ

ଉତ୍ତମ ସାକ୍ଷ ମୋ ଅଟନ୍ତି ଅଛନ୍ତି ବର୍ତ୍ତମାନ

ଚିନ୍ତାମଣି ବିଦ୍ୟାଭୂଷଣ ବସିଛନ୍ତି ନିଶ୍ଚଳେ

ପଚାରିଲେ ତାଙ୍କୁ ମୋ କଥା ସବୁ କହିବେ ଭଲେ

ସତ୍ୟବାଦୀ ପାଢ଼ୀ ବୈକୁଣ୍ଠ ମିଶ୍ର ଅଛନ୍ତି ରହି

ହରିବନ୍ଧୁ ପଟ୍ଟନାୟକ ମଧ୍ୟ ପାରନ୍ତି କହି ।

କେଉଁ ଅପରାଧେ କାହିଁକି ଆଜ ହେ ମହାମନା

ମୋତେ ହେଲା ମହାରାଜାଙ୍କ ସିଂହଦୁଆର ମନା

ଶତ ଅପରାଧୀ ବରଞ୍ଚ ହୋଇଯିବେ ମୁକତି

ଅପରାଧ ବିନା ନ ହେବ ଜାଣେ ଦଣ୍ଡ ଯୁକତି

ଏହିରୂପେ ତୁମ୍ଭ ବିଚାର ଜଗତରେ ପ୍ରଥିତ

ଧର୍ମାବତାର ହେ କି ଦୋଷେ ମୁଁ ହେବି ନିର୍ବାସିତ

ଈଶ୍ୱର ହରତା-କରତା କରିଛନ୍ତି ଯାହାକୁ

ଗୁହାରି ଯେବେ ନ ଶୁଣିବେ ଜଣାଇବି କାହାକୁ

କମିଶନର ହେ; ତୁମ୍ଭଙ୍କୁ କେଉଁ କଥା ଅଜଣା

ମୋହର ବିନତି କାହିଁକି ତୁମ୍ଭେ ନ କର ଜଣା

ହେ ଡିପୋଟି କମିଶନର ତୁମ୍ଭେ ଦୟାଳୁ-ବର

ଆଉ ବାରେ ମୋର ଗୁହାରିଯାକ ପ୍ରେରଣ କର

ସୁଢଳ ଦେବ ହେ ବିବିଧ ଗୁଣେ ହୋଇ ପଣ୍ଡିତ

ଉପାଧି ମାଳରେ ନାମକୁ କରିଅଛ ମଣ୍ଡିତ

ହୋଇଅଛ ଆଜ ଭାରତେ ରାଜବଂଶର ମୁନି

ଦେଖି ଦେଖି ମୋର ଏ ଦଶା କିମ୍ପା ହୋଇଛ ତୁନି

ସ୍ୱହସ୍ତରେ ଗଢ଼ି ଯତନେ ନାନାବିଧ ଭୂଷଣ

ଯା ଅଙ୍ଗରେ ମଣ୍ଡିଦେଇଛ ସହି କେତେ କଷଣ

ରାଜ୍ୟ ଛାଡ଼ି ଆଜ ଦୁଃଖେ ସେ ଯାଉଅଛି ବାହାରି

ତାହା ପାଇଁ ପଦେ କହିବା ଏବେ ହେଲା କି ଭାରି

ରାମଚନ୍ଦ୍ର ଦେବ ପାଟଣା ମହୀମଣ୍ଡଳେଶ୍ୱର

ବାଘ ମାରିବାକୁ ବୁଲୁଛ ବନେ ନିଶି-ବାସର

ଗୁହାଳରେ ପଶି ଶୃଗାଳ ଖାଇଯାଉଛି ଗାଈ

ଏ ଆଡ଼କୁ କିମ୍ପା ତୁମର କିଛି ନଜର ନାହିଁ

ଏ ଗାଈଟି ମଲେ ମିଳିବ ନାହିଁ ମଧୁର କ୍ଷୀର

ଶୃଗାଳ ନପଶୁ ଗୁହାଳେ ଆହେ ! ଚୋହାନ ବୀର

ଦେଖ କି ନା ରଘୁକିଶୋର କଳାହାଣ୍ଡି ଭୂପତି

ଘର ଭାତହାଣ୍ଡି ନୁହେଁ କି ମୁଁ ଉତ୍କଳ-ଭାରତୀ

ସେହି ଭାତହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି

ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି

ପିତା ମହାରାଜ ଅରଜିଛନ୍ତି ସ୍ଥାୟୀ କୀରତି

ହୁଅ ସେହିପରି ଯଶସ୍ୱୀ ଦେଇ ମୋ କାର୍ଯ୍ୟେ ମତି

ସ୍ୱର୍ଣ୍ଣପୁର-ପତି ବସିଛ ସ୍ୱର୍ଣ୍ଣମୟ ଆସନେ

ସଂସ୍କୃତେ ମାତିଛ ମୋ କଥା କାହିଁ ପଡ଼ିବ ମନେ

ବରପଲ୍ଲି ପତି ଜାଣଇ ମୁହିଁ ତୁମ୍ଭର ମନ

ମୋହଲାଗି କହିପାରିବ ପଦେଅଧେ ବଚନ

ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ

କହିଲେ ବା ଉପାଧିଟି ରାଜେ ନେବେ ଛଡ଼ାଇ

ଆହା କି ବକିଲ ! ହୋଇଛ ପରା ବିହ୍ୱଳ ମନ

ବାପ ମାନେ ମୋର ସେ କଥା ନ କରିବ ସ୍ମରଣ

ଆସ ମୋହପାଇଁ ଶ୍ରୀ ଚିଫ୍ କମିଶନରଙ୍କଠାରେ

ନିବେଦନ କର ମୋ ଦୁଃଖ ଯାକ ଉଲ୍ଲେଖିବାରେ

ଦୟାମୟ ଉଡ଼ବରନ ନିଶ୍ଚେ ଶୁଣି ଗୁହାରି

ସଙ୍କଟସାଗର ତରଙ୍ଗୁ ମୋତେ କରିବେ ପାରି

ଯଦ୍ୟପି ମୋହ କପାଳକୁ ହେଲେ ହେବ ଅନ୍ୟଥା

ନିନ୍ଦା କରିବାକୁ ତୁମ୍ଭଙ୍କୁ ଆଉ ନଥିବ କଥା

ନ ଘୁଞ୍ଚ, ନ ହୁଅ ନିରାଶ ବାପ ଧରଣୀଧର

ଅବଶ୍ୟ ସୁଫଳ ଫଳିବ ଲାଗି ଯତନ କର

ସେହି ରୂପ ସବୁ ସମ୍ଭ୍ରାନ୍ତ ଲୋକ ମିଳି କରନ୍ତୁ

ମୋର ହୃଦୟରୁ ସନ୍ତାପନିଚୟକୁ ହରନ୍ତୁ ।

ନିର୍ବାସନ ହେବା ପାଇଁକି ଅଛି ଜନନୀ ଭାଲେ-

ମାତୃହୀନ ଦଶା ଘଟିବା ଅଛି ଥୟ କପାଳେ

‘ଭବିତବ୍ୟ ଯାହା ତା ଘଟୁ ବିଧି ଆୟତ୍ତ ସିନା

ବୋଲି’ କାପୁରୁଷ ନ ହୁଅ ମୂଳୁ ଉଦ୍‌ଯୋଗ ବିନା